ସ୍ଥାନ
ତାରିଖ
ପ୍ରିୟ ଆନନ୍ଦ,
ମୋର ଶୁଭେଚ୍ଛା ନେବୁ। ମଉସା, ମାଉସୀଙ୍କୁ ପ୍ରଣାମ ଜଣାଇଦେବୁ। ମୁଁ ଏଠାରେ ଭଲରେ ଅଛି। ନିକଟରେ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ହୋଇଥିଲା। ତାହା ଦେଖିବାକୁ ମୁଁ ଯାଇଥିଲି। ଏହି ମେଳାରେ ଗଞ୍ଜାମରୁ କନ୍ଧ, କୋରାପୁଟରୁ ସଉରା, ମୟୂରଭଞ୍ଜ ଓ କେନ୍ଦୁଝରରୁ କୋହ୍ଲମାନେ ବିଭିନ୍ନ ପାରମ୍ପରିକ ଜିନିଷ ଏବଂ ହାତତିଆରି ଦ୍ରବ୍ୟ ବିକ୍ରି ପାଇଁ ଆଣିଥିଲେ। ଲୋକମାନେ ସେସବୁ କିଣାକିଣି କରିଥିଲେ। ମୁଁ ମଧ୍ୟ କିଛି ଜିନିଷ ଘରପାଇଁ କିଣିଥିଲି।
ଏହା ସହିତ ଆଦିବାସୀଙ୍କ ଜୀବନଯାତ୍ରାର ଚିତ୍ର ଏହି ମେଳାରେ ପ୍ରଦର୍ଶିତ ହୋଇଥିଲା। ଆଦିବାସୀଙ୍କ କୁକୁଡ଼ା ପାଳନ, ମହୁ ମାରିବାର ପ୍ରଣାଳୀ, ମହଲୁ ରଖିବାର କାଇଦା, ସେମାନଙ୍କ ବ୍ୟବହୃତ ଧନୁଶର ଓ ବର୍ଚ୍ଛା ଆଦ ି ଅସ୍ତ୍ରଶସ୍ତ୍ର ଠାଆକୁ ଠାଆ ଦର୍ଶାଯାଇଥିଲା। ପୁନଶ୍ଚ ସେମାନଙ୍କ ଜୀବନଧାରା ସୂଚକ କେତେକ ମୃଣ୍ମୟ ଶିଳ୍ପ ଏବଂ ନୂଆଁଣିଆ ଘର ଓ ଅଗଣା ଆଦି ଗୋଟିଏ ସ୍ଥାନରେ ନିର୍ମିତ ହୋଇଥିଲା। ଅନ୍ୟ ଏକ ସ୍ଥାନରେ ଆଦିବାସୀ ଧାଙ୍ଗଡ଼ା ଓ ଧାଙ୍ଗଡ଼ୀ ମିଶି ଚାଙ୍ଗୁନାଚ ଓ ଘୁମୁରା ନୃତ୍ୟ ପ୍ରଦର୍ଶନ କରିଥିଲେ। ସରକାରୀ ଅଫିସରମାନେ ସରକାରଙ୍କ ଆଦିବାସୀ ଉନ୍ନୟନ ଯୋଜନା ସମ୍ପର୍କରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ବୁଝାଉଥିଲେ। ଏହି ମେଳାରେ ପ୍ରବଳ ଜନସମାଗମ ହୋଇଥିଲା। ଶାନ୍ତି ରକ୍ଷା ନିମିତ୍ତ ପୋଲିସ ମୁତୟନ କରାଯାଇଥିଲା। ପ୍ରତ୍ୟେକ ଦର୍ଶକ ଏହି ମେଳାରେ ଆନନ୍ଦ ଲାଭ କରିଥିଲେ।
ତୁମକୁ ଏହା କିପରି ଲାଗିଲା ଲେଖି ଜଣାଇବ।
ଇତି
ତୁମର ସାଙ୍ଗ
ବିରୂପାକ୍ଷ