ପ୍ରାପ୍ତେଷୁ :
ମୁଖ୍ୟଯନ୍ତ୍ରୀ
ଗ୍ରାମାଞ୍ଚଳ ଜନସ୍ୱାସ୍ଥ୍ୟ ବିଭାଗ,
ଜଗତସିଂହପୁର
ତାରିଖ :
ବିଷୟ : ଅଚଳ ହୋଇ ପଡ଼ିଥିବା ନଳକୂପ ଗୁଡ଼ିକର ମରାମତି ସମ୍ପର୍କରେ
ମହାଶୟ,
ନିବେଦନର କାରଣ ଏହି କି ଯେ ଆମ୍ଭେ ସିିଙ୍ଗାରପୁର ଓ କୃଷ୍ଣଦାସପୁର ଗ୍ରାମର ଅଧିବାସୀଗଣ ଆପଣଙ୍କ ଗୋଚରାର୍ଥେ ଜଣାଉଛୁ ଯେ, ଆମର ଏହି ଗ୍ରାମ ଗଡ଼ୁକିରେ ପ୍ରାୟ ବାରଶହ ଲୋକ ବସବାସ କରନ୍ତି। ଏହି ଗ୍ରାମଗୁଡ଼ିକ ବାଲିକୁଦା ବ୍ଳକ ଅଧୀନ ଜଗତସିଂହପୁର ଜିଲା ଅନ୍ତର୍ଗତ ରେଭିନ୍ୟୁ ଗ୍ରାମ। ଚଳିତବର୍ଷ ଫେବୃଆରୀ ମାସରୁ ପ୍ରଚଣ୍ଡ ଖରା ହେତୁ କୂଅ, ପୋଖରୀ, ନାଳ ଆଦି ଶୁଖି ଯାଇଛି। ପାଖରେ ଥିବା ମୁଖ୍ୟ କେନାଲ ମରାମତି ଚାଲିଥିବାରୁ ଜଳଯୋଗାଣ ହୋଇପାରିନାହିଁ। ତେଣୁ ଏ ବର୍ଷ ଆମ୍ଭେମାନେ ଘୋର ଜଳସଙ୍କଟ ଦେଇ ଗତି କରୁଛୁ। ବିଗତ ତିନି ବର୍ଷ ମଧ୍ୟରେ ଏହି ଗ୍ରାମ ଦୁଇଟିରେ ପାଞ୍ଚଟି ନଳକୂପ ବସାଯାଇଥିଲା। ଫଳରେ ଜଳ ସମସ୍ୟା କିଛିଟା ଦୂର ହୋଇଥିଲା। ସାମୟିକ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ୩ଟି ନଳକୂପ ଅଚଳ। ଜଳସ୍ତର ହ୍ରାସ ଯୋଗୁଁ ଅନ୍ୟ ଦୁଇଟିରୁ ଆବଶ୍ୟକ ମୁତାବକ ପାଣି ବାହାରୁନାହିଁ। ଫଳରେ ବହୁ ଦୂରରୁ ଏକ ବ୍ୟକ୍ତିଗତ କୂଅରୁ ଗ୍ରାମବାସୀ ଜଳ ସଂଗ୍ରହ କରୁଛନ୍ତି। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀଙ୍କୁ ଦୁଇଥର ଲିଖିତ ଓ ଅନେକ ଥର ମୌଖିକ ଅଭିଯୋଗ କରିଆସିଛୁ। କିନ୍ତୁ କିଛି ଲାଭ ହୋଇନାହିଁ। ଯେଉଁ ଲୋକମାନେ ଆସି ସାମାନ୍ୟ ମରାମତି କରି ଯାଇଥିଲେ ତାହା ପୁଣି ନଷ୍ଟ ହୋଇଗଲା।
ଏଣୁ ଆପଣଙ୍କୁ ବିନୀତ ଅନୁରୋଧ କରୁ କି, ଆପଣ ସ୍ୱତନ୍ତ୍ର ଅନୁସନ୍ଧାନ କରି ନଳକୂପ ଗୁଡ଼ିକର ମରାମତି ପାଇଁ ତୁରନ୍ତ ପଦକ୍ଷେପ ନେଲେ ଆମେ ଚିରୋପକୃତ ହେବୁ। ଆପଣଙ୍କ ଅବଗତି ନିମନ୍ତେ ପୂର୍ବରୁ ଦିଆଯାଇଥିବା ଚିଠିଗୁଡ଼ିକର ନକଲ ଏଥିସହିତ ଦିଆଗଲା।
ତାରିଖ : ___________
ଆପଣଙ୍କର ବିଶ୍ୱସ୍ତ
ଗ୍ରାମବାସୀବୃନ୍ଦ