ପ୍ରାପ୍ତେଷୁ : ମାନନୀୟ ଜିଲ୍ଲାପାଳ, ଯାଜପୁର ଜିଲ୍ଲା, ଯାଜପୁର
(ଅଧ୍ୟକ୍ଷ, ଗୋପବନ୍ଧୁ ଚୌଧୁରୀ କଲେଜ, ରାମଚନ୍ଦ୍ରପୁର, ବରୀଙ୍କ ଜରିଆରେ)
ବିଷୟ : ବନ୍ୟାଗ୍ରସ୍ତ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ବାଣ୍ଟିବା ପାଇଁ ଅନୁମତି ନିମନ୍ତେ ଆବେଦନ।
ମହାଶୟ,
ଆମ୍ଭେମାନେ ସ୍ଥାନୀୟ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ, ରାମଚନ୍ଦ୍ରପୁର ଜାତୀୟ ସେବା ସଂସ୍ଥା (ଏନଏସଏସ)ର ଛାତ୍ରଛାତ୍ରୀ। ବନ୍ୟା ଯୋଗୁଁ ବରୀ, ବୋଦୁଅ, ଅରେଇ ଓ ବାଲିଆ ଅଞ୍ଚଳର ବହୁ ଲୋକ ବେଘର ହୋଇଛନ୍ତି। ସେମାନେ ୪ଦିନ ହେଲା ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଛନ୍ତି। ଛୋଟ ପିଲାମାନେ ଉପଯୁକ୍ତ ଖାଦ୍ୟ ପାଇପାରୁନାହାନ୍ତି। ଗୃହପାଳିତ ପଶୁ ମଧ୍ୟ ଖାଦ୍ୟ ବିନା ଡହଳ ବିକଳ ହେଉଛନ୍ତି। ଉକ୍ତ ଅଞ୍ଚଳର ବନ୍ୟା ପ୍ରଭାବିତ ଲୋକମାନଙ୍କ ମଧ୍ୟରେ ଆମେ ରିଲିଫ୍ ସାମଗ୍ରୀ ବାଣ୍ଟିବା ପାଇଁ ଆପଣଙ୍କର ଅନୁମତି ପ୍ରାର୍ଥନା କରୁଛୁ। ଆମ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର ସଂଯୋଜକଙ୍କ ଜରିଆରେ ରିଲିଫ୍ ବଣ୍ଟନ କରାଯିବ। ଏହି କାର୍ଯ୍ୟକୁ ସୂଚାରୁରୂପେ କରିବା ପାଇଁ ୨୦ଜଣ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ସାମିଲ ଅଛନ୍ତି।
ସକାଳ ୭ଟାରୁ ଆମେ ମହାବିଦ୍ୟାଳୟ ପରିସରରୁ ବାହାରି ବନ୍ୟ ପ୍ରଭାବିତ ଅଞ୍ଚଳ ବରୀକୁ ଯିବୁ। ସେଠାରୁ ଲଞ୍ଚ୍ ଯୋଗେ ଅନ୍ୟ ପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନ କରାଯିବ। ଶିଶୁଙ୍କ ପାଇଁ ଶିଶୁ ଖାଦ୍ୟ ଓ ଗୃହପାଳିତଙ୍କ ପାଇଁ ମଧ୍ୟ ଖାଦ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଆପଣଙ୍କୁ ବିଶେଷ ଅନୁରୋଧ, ଆପଣ ରିଲିଫ କାର୍ଯ୍ୟରେ ସହାୟତା କରିବା ପାଇଁ ଦୁଇଜଣ କନେଷ୍ଟବଳ ଓ ଗୋଟିଏ ଯନ୍ତ୍ରଚାଳିତ ଲଞ୍ଚର ବ୍ୟବସ୍ଥା କଲେ ଆମେ ଉପକୃତ ହେବୁ।
ଆପଣଙ୍କର ସଦୟ ସହଯୋଗକୁ ଅପେକ୍ଷା କରୁଛୁ।
ଆପଣଙ୍କର ସୌଜନ୍ୟମୁଗ୍ଧ
ଛାତ୍ରଛାତ୍ରୀଗଣ