ସମ୍ପାଦକ
‘ପ୍ରଜାତନ୍ତ୍ର’
ମହତାବ ରୋଡ୍, କଟକ
ତାରିଖ : __________
ମହାଶୟ,
ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟା ଦେଖାଦେଇଛି। ଶିକ୍ଷକ ଅଭାବରୁ ପିଲାମାନେ ଉପଯୁକ୍ତ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଶିକ୍ଷା ମନ୍ଦିରରେ ଏଭଳି ଦୁର୍ଦଶା ଭବିଷ୍ୟତ ଗଢ଼ିବାରେ ଅନ୍ତରାୟ ସୃଷ୍ଟି କରିବ। ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପାଉଛି ଜଣେ ଶିକ୍ଷକରେ ଚାଲୁଛି ରାଜ୍ୟର ଦେଢ଼ ହଜାରରୁ ଅଧିକ ବିଦ୍ୟାଳୟ। ଶିକ୍ଷା ବ୍ୟବସ୍ଥାରେ ଏପରି ବିକଳ ଚିତ୍ର ତ କଳ୍ପନା ବାହାରେ। ଏ ଗୁରୁତର ସମସ୍ୟାର ପ୍ରତିକାର ଦିଗରେ ସରକାର ଓ ପ୍ରଶାସନ ସମ୍ପୂର୍ଣ୍ଣ ଉଦାସୀନ ଥିଲା ପରି ମନେ ହେଉଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଶିକ୍ଷକ ଥିଲେ ବି ଏ ବିଷୟକୁ ଗୁରୁତ୍ବ ନଦେବା ଅତ୍ୟନ୍ତ ଦୁଃଖଦାୟକ। ଜଣେ ଶିକ୍ଷକ ବା ଶିକ୍ଷୟିତ୍ରୀ ଏକାଧିକ ଶ୍ରେଣୀର ପିଲାଙ୍କୁ କି ପ୍ରକାର ପାଠ ପଢ଼ାଉଥିବେ, ତା’ସହ ବିଦ୍ୟାଳୟର ଅନ୍ୟାନ୍ୟ ଦାୟିତ୍ବ କିପରି ତୁଲାଉଥିବେ? ନେଡ଼ିଗୁଡ଼ କହୁଣିକୁ ବୋହି ଯିବା ଆଗରୁ ସରକାର ପ୍ରତି ବ୍ଲକର ବିଡିଓ, ବିଇଓ ଓ ଜିଲା ଡିଇଓଙ୍କ ଦ୍ବାରା ପ୍ରତି ବ୍ଲକରେ ଥିବା ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ କେବଳ ସାକ୍ଷାତ୍କାର ମାଧ୍ୟମରେ ଅସ୍ଥାୟୀ ଶିକ୍ଷକ/ଶିକ୍ଷୟିତ୍ରୀ ଭାବେ ଭଲ ଦରମା ଦେଇ ନିଯୁକ୍ତି ଦେଲେ ଏ ସମ୍ବେଦନଶୀଳ ସମସ୍ୟାର ଆଶୁ ସମାଧାନ ହୋଇପାରନ୍ତା।
ଆନନ୍ଦ ଚନ୍ଦ୍ର ମହାକୁଡ଼
ଭୁବନେଶ୍ବର