ସଂପାଦକ, ‘ସମାଜ’
ଗୋପବନ୍ଧୁ ଭବନ,
ବକ୍ସିବଜାର, କଟକ
ତାରିଖ : __________
ମହାଶୟ,
ଓଡ଼ିଶାରେ ଓଡ଼ିଆ ଭାଷାର ସ୍ଥିତି ବା ଓଡ଼ିଆ ଭାଷା ଅପଦସ୍ଥ ହେଉଥିବାର ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏଥିରୁ ମନେହୁଏ ଓଡ଼ିଆମାନଙ୍କର ସ୍ୱାଭିମାନ ବୋଲି କିଛି ନାହିଁ। ଓଡ଼ିଶାରେ ଓଡ଼ିଆ ଭାଷାକୁ ହତାଦର କରାଯିବା ନିଶ୍ଚିତ ଭାବେ ପରିତାପର ବିଷୟ। ଓଡ଼ିଶାରେ ଛତୁ ଫୁଟିଲା ଭଳି ଇଂରାଜୀ ମାଧ୍ୟମ ସ୍କୁଲ ଖୋଲାଯିବା, ବିଭିନ୍ନ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ, ବାସଗୃହାଦିରେ ନାମ ଫଳକ ଇଂରାଜୀ ଭାଷାରେ ଲେଖାଯିବା, ବିବାହ ବ୍ରତାଦି ମାଙ୍ଗଳିକ ଅନୁଷ୍ଠାନ ଉପଲକ୍ଷେ ପ୍ରସ୍ତୁତ ହେଉଥିବା ନିମନ୍ତ୍ରଣପତ୍ର ଗୁଡ଼ିକ ଇଂରାଜୀ ଭାଷାରେ ଲେଖାଯିବା ପ୍ରଭୃତି ଘଟଣାମାନ ଓଡ଼ିଆ ଭାଷାକୁ ଅବହେଳା କରୁଥିବାର ଗୋଟିଏ ଗୋଟିଏ ଜ୍ୱଳନ୍ତ ପ୍ରମାଣ। ଯେଉଁଠି ବାଧ୍ୟବାଧକତାରେ ଓଡ଼ିଆ ଭାଷା ବ୍ୟବହାର କରାଯାଇଛି, ତାହା ବିକୃତ ରୂପ ଧାରଣ କରୁଥିବା ଦେଖିବାକୁ ମିଳୁଛି। ଓଡ଼ିଆ ଭାଷାର ସେହି ବିକୃତ ରୂପ ଉପରେ ସମସ୍ତଙ୍କର ନଜର ପଡ଼ୁଛି। ମାତ୍ର ତାକୁ ସଜାଡ଼ିବା ପାଇଁ କାହାର ଉଦ୍ୟମ ନାହିଁ ଖୋଦ୍ ସରକାରୀ କାର୍ଯ୍ୟାଳୟର ନାମ ଫଳକରେ ମଧ୍ୟ ତ୍ରୁଟି ରହୁଛି। ସେହିପରି ଠିକ୍ଭାବେ ସ୍ଥାନଗୁଡ଼ିକର ନାମ ମଧ୍ୟ ଲେଖାଯାଉନାହିଁ।
ଏଭଳି ତ୍ରୁଟି ଉପରେ ସରକାରୀ ବାବୁଙ୍କ ନଜର ନିଶ୍ଚୟ ପଡ଼ୁଥିବ। ହେଲେ ସଂଶୋଧନ ପାଇଁ କେହି ଉଦ୍ୟମ ନକରିବା ପରିତାପର ବିଷୟ। ସରକାରଙ୍କ ଉପରେ ସବୁ ଦୋଷ ଲଦିଦେବା ଠିକ୍ ହେବନାହିଁ। ଓଡ଼ିଆ ଭାଷାର ମର୍ଯ୍ୟାଦା ରକ୍ଷା ସହ ତାର ସମୃଦ୍ଧି ଦିଗରେ ସବୁ ଓଡ଼ିଆଙ୍କ ଲକ୍ଷ୍ୟ ହେବା ଉଚିତ୍। ସମସ୍ତେ ସଚେତନ ହେବା ଏକାନ୍ତ ଜରୁରୀ।
ଆପଣଙ୍କର ବିଶ୍ୱସ୍ତ
ସର୍ବେଶ୍ବର ମହାପାତ୍ର