Odia-English Online
Dictionary & Grammar

  • Home
  • Browse Word
  • Grammar
  • Input Tools
  • Translation
  • Proverbs
  • Word Book
Odia - English
Dictionary
  • Home
  • Dictionary
    • 1. Prasasaba Dictionary
    • 2. Shrimandir Dictionary
    • 3. Samalpuri Dictionary
  • Grammar
  • Browse Word
  • Word Book
  • Proverbs
  • Odia Translatations
  • Odia Typing
  • Lession [Trending]
  • TechDaily
Odia English


 

Main Word

Odia Grammar : Topic & Details

Topics
Odia Grammar
  • ବାକ୍ୟବିଚାର
  • ଶବ୍ଦ
  • ଶବ୍ଦର ପ୍ରକାର ଭେଦ
  • ସନ୍ଧି
  • ଲିଙ୍ଗ
  • ବଚନ
  • ସମାସ
  • କୃଦନ୍ତ
  • କାରକ
  • ବିଭକ୍ତି
  • ପୁରୁଷ
  • ଉପସର୍ଗ ଓ ପ୍ରତ୍ୟୟ

Odia Grammar
  • ବାକ୍ୟବିଚାର
  • ବାକ୍ୟର ପ୍ରକାର ଭେଦ
  • ଶବ୍ଦ
  • ଶବ୍ଦର ପ୍ରକାର ଭେଦ
  • ସନ୍ଧି
  • ଲିଙ୍ଗ
  • ବଚନ
  • ସମାସ
  • କାରକ
  • ବିଭକ୍ତି
  • ପୁରୁଷ
  • ଉପସର୍ଗ ଓ ପ୍ରତ୍ୟୟ

ସମାସ

ପରସ୍ପର ସମ୍ବନ୍ଧ ଥିବା ଦୁଇ ବା ତତୋଧିକ ପଦକୁ ଏକ ପଦରେ ପରିଣତ କରିବାର ନାମ ହେଉଛି ସମାସ । ସମାସ ପ୍ରକ୍ରିୟାରେ ସମ୍ପର୍କିତ ହୋଇଥିବା ପଦଗୁଡ଼ିକ ହେଲେ ଯଥାକ୍ରମେ : ସମସ୍ତପଦ, ପୂର୍ବପଦ, ପରପଦ ବା ଉତ୍ତର ପଦ, ସମସ୍ୟମାନପଦ ଓ ବିଗ୍ରହବାକ୍ୟ ।

  1. ଯଶୋଦା ପୁତ୍ର ନିମିତ୍ତ ଶୋକରେ ଅଧୀର ହେଲେ ।
  2. ଯଶୋଦା ପୁତ୍ରଶୋକରେ ଅଧୀର ହେଲେ ।
  3. ସୁନାରେ ତିଆରି ହାର ଟି ଝିଅକୁ ଭାରି ମାନୁଛି ।
  4. ସୁନାହାର ଟି ଝିଅକୁ ଭାରି ମାନୁଛି
  5. ଶୋକରୂପକ ଅଗ୍ନି ମଣିଷ ଶରୀରକୁ କ୍ଷୀଣ କରିଦିଏ ।
  6. ଶୋକାଗ୍ନି ମଣିଷ ଶରୀରକୁ କ୍ଷୀଣ କରିଦିଏ ।
  7. ଚକ୍ର ଅଛି ପାଣିରେ ଯାହାର; ସେ ମହାଭାରତ ଯୁଦ୍ଧର କ?ର୍ଧାର ଅଟନ୍ତି
  8. ଚକ୍ରପାଣି ମହାଭାରତ ଯୁଦ୍ଧର କ?ର୍ଧାର ଅଟନ୍ତି ।


ଆସ ଉପର ବାକ୍ୟ ଗୁଡ଼ିକୁ ଆଲୋଚନା କରିବା । ବର୍ତ୍ତମାନ ଲକ୍ଷ୍ୟକର - କ ଓ ଖ ବାକ୍ୟର ଅର୍ଥ ସମାନ ହେଉଛି । ସେହିପରି ଯଥାକ୍ରମେ ଗ ଓ ଘ, ଙ ଓ ଚ, ଛ ଓ ଜ ବାକ୍ୟର ଅର୍ଥ ମଧ୍ୟ ସମାନ ହେଉଛି । କ ବାକ୍ୟରେ ଥିବା ପୁତ୍ର ନିମିତ୍ତ ଶୋକ ପଦଗୁଡ଼ିକ ମିଶିଯାଇ ଖ ବାକ୍ୟରେ ପୁତ୍ରଶୋକ ପଦରେ ପରିଣତ ହୋଇଛି । ସେହିପରି ଗ ବାକ୍ୟରେ ଥିବା ସୁନାରେ ତିଆରି ହାର ପଦଗୁଡ଼ିକ ମିଶିଯାଇ ଘ ବାକ୍ୟରେ ସୁନାହାର, ଙ ବାକ୍ୟର ଶୋକରୂପକ ଅଗ୍ନି ପଦଗୁଡ଼ିକ ମିଶିଯାଇ ଚ ବାକ୍ୟରେ ଶୋକାଗ୍ନିରେ ଓ ଛ ବାକ୍ୟର ଚକ୍ର ଅଛି ପାଣିରେ ଯାହାର ଜ ବାକ୍ୟରେ ଚକ୍ରପାଣିରେ ପରିଣତ ହୋଇଛି । ଆମେ ଦେଖିଲେ ଯେ ବାକ୍ୟ ମଧ୍ୟରେ ପରସ୍ପର ସମ୍ପର୍କ ଥିବା ଏକାଧିକ ପଦକୁ ମିଶାଇ ଦେଇ ଏକପଦରେ ପରିଣତ କରାଯାଇ ପାରୁଛି । ଫଳରେ ବାକ୍ୟ ଛୋଟ ହୋଇପାରୁଛି ଓ ଶ୍ରୁତିମଧୁର ହେଉଛି । ବ୍ୟାକରଣ ଶାସ୍ତ୍ରରେ ଏହି ପ୍ରକ୍ରିୟାକୁ ସମାସ କୁହାଯାଏ ।

ସମସ୍ତ ପଦ
 
  • ସମାସରେ ପଦଗୁଡ଼ିକ ମିଳିତ ହେବାପରେ ଯେଉଁ ପଦ ସୃଷ୍ଟିହୁଏ ତାହାକୁ ସମସ୍ତପଦ କୁହାଯାଏ । ଅନ୍ୟ ଉପାୟରେ ଆମେ ମଧ୍ୟ କହି ପାରିବା - ସମାସନିଷ୍ପନ୍ନ ପଦକୁ ସମସ୍ତପଦ କୁହାଯାଏ ।  ସିଂହ ଚିହ୍ନିତ ଆସନ = ସିଂହାସନ । ଏଠାରେ ସିଂହାସନ ହେଉଛି ସମସ୍ତପଦ । ସିଂହ ହେଉଛି ପୂର୍ବପଦ  ଓ ଆସନ ହେଉଛି ପରପଦ ବା ଉତ୍ତର ପଦ ।
ସମସ୍ୟମାନ ପଦ
 
  • ସିଂହାସନ ସମସ୍ତ ପଦରେ ସିଂହ ଗୋଟିଏ ସମସ୍ୟମାନ ପଦ ଓ ଆସନ ଆଉ ଏକ ସମସ୍ୟମାନ ପଦ । ଯେଉଁପଦ ଗୁଡ଼ିକର ମିଶ୍ରଣରେ ସମସ୍ତ ପଦ ଗଠିତ ହୁଏ ସେହି ପଦଗୁଡ଼ିକ ଗୋଟିଏ ଗୋଟିଏ 'ସମସ୍ୟମାନ ପଦ'।
ବିଗ୍ରହ ବାକ୍ୟ
 
  • ସମାସ ଅନ୍ତର୍ଗତ ପଦମାନଙ୍କର ପରସ୍ପର ସମ୍ବନ୍ଧ ଜାଣିବା ପାଇଁ ଯେଉଁ ବାକ୍ୟ ଗଢ଼ାଯାଏ ତାହାକୁ ବିଗ୍ରହବାକ୍ୟ କୁହାଯାଏ । ବିଗ୍ରହ ବାକ୍ୟକୁ ବ୍ୟାସବାକ୍ୟ ବା ସମାସବାକ୍ୟ ବୋଲି ମଧ୍ୟ କୁହାଯାଏ ।
ସମାସର ପ୍ରକାର ଭେଦ
  ଅର୍ଥର ପ୍ରାଧାନ୍ୟ ଦୃଷ୍ଟିରୁ ସମାସକୁ ମୁଖ୍ୟତଃ ଛଅ ଭାଗରେ ବିଭକ୍ତ କରାଯାଇଛି, ଯଥା :- ତତ୍‌ପୁରୁଷ, କର୍ମଧାରୟ, ଦ୍ୱିଗୁ, ଦ୍ୱନ୍ଦ୍ୱ, ବହୁବ୍ରୀହି ଓ ଅବ୍ୟୟୀଭାବ । ଏମାନଙ୍କ ମଧ୍ୟରୁ ତତ୍‌ପୁରୁଷ ଓ କର୍ମଧାରୟ ସମାସ ଦୁଇଟିରେ ଉତ୍ତରପଦର ଅର୍ଥରେ ପ୍ରାଧାନ୍ୟ ରହୁଥିବା
ହେତୁ ଏ ଦୁଇଟି ଉତ୍ତରପଦ ପ୍ରଧାନ । ଦ୍ୱିଗୁ ଓ ଅବ୍ୟୟୀଭାବ ପୂର୍ବପଦ ପ୍ରଧାନ ଦ୍ୱନ୍ଦ୍ୱ ସମାସରେ ଉଭୟପଦ ବା ପ୍ରତ୍ୟେକ ପଦରେ ଅର୍ଥର ପ୍ରାଧାନ୍ୟ ରହିଛି । କିନ୍ତୁ ବହୁବ୍ରୀହି ସମାସରେ କୌଣସି ସମସ୍ୟମାନ ପଦର ଅର୍ଥ ଉପରେ ପ୍ରାଧାନ୍ୟ ଦିଆନଯାଇ ସ୍ୱତନ୍ତ୍ର ଅର୍ଥ ଉପରେ ଗୁରୁତ୍ୱ ଦିଆଯାଇଥାଏ । ଏହାକୁ ଅନ୍ୟଅର୍ଥ ପ୍ରଧାନ କୁହାଯାଏ ।
  • ତତ୍‌ପୁରୁଷ ସମାସ :
    ଦ୍ୱିତୀୟା ଠାରୁ ସପ୍ତମୀ ପର୍ଯ୍ୟନ୍ତ ବିଭକ୍ତି ଯୁକ୍ତ ବିଶେଷ୍ୟ ପଦ ସହିତ ବିଶେଷ୍ୟ କିମ୍ବା ବିଶେଷଣ ପଦର ସମାସ ହୋଇ ପର ପଦର ଅର୍ଥର ପ୍ରାଧାନ୍ୟ ରହିଲେ ତତ୍‌ପୁରୁଷ ସମାସ ହୁଏ । ଏହାର ସମସ୍ତ ପଦରେ ପୂର୍ବ ପଦର ବିଭକ୍ତି ଚିହ୍ନ ଲୋପ ପାଏ ।
  • ଦ୍ୱିତୀୟା ତତ୍ ପୁରୁଷ :
    ଗୃହକୁ ଆଗତ = ଗୃହାଗତ ଧନକୁ ପ୍ରାପ୍ତ = ଧନପ୍ରାପ୍ତ
    ଘରକୁ ମୁହାଁ = ଘରମୁହାଁ ସାହାଯ୍ୟକୁ ପ୍ରାପ୍ତ = ସାହାଯ୍ୟପ୍ରାପ୍ତ ।
    ସେହିପରି ଚରଣାଶ୍ରିତ, ମାଛଧରା, ଦୁଧଖିଆ, ଦୁଃଖପ୍ରାପ୍ତ ଆଦି ସମାସ ଗଢ଼ାଯାଇପାରିବ । ବ୍ୟାପ୍ତି ଓ କାଳ
    ଅର୍ଥେର ମଧ୍ୟ ଦ୍ୱିତୀୟା ତତ୍‌ପୁରୁଷର ରୂପ ଦେଖିବାକୁ ମିଳେ, ଯଥା :- ଚିରକାଳ(କୁ) ବ୍ୟାପୀ ଦୁଃଖ = ଚିରଦୁଃଖ,
    କ୍ଷଣକାଳ(କୁ) ବ୍ୟାପୀ ସ୍ଥାୟୀ = କ୍ଷଣସ୍ଥାୟୀ ଏଠାରେ ପୂର୍ବ ପଦରେ ଥିବା ଦ୍ୱିତୀୟା ବିଭକ୍ତିର ଚିହ୍ନ କୁ, ଙ୍କୁ - ସମସ୍ତ
    ପଦରେ ଲୁପ୍ତ ହୋଇଛି ।
  • ତୃତୀୟା ତତ୍‌ପୁରୁଷ:
    ଶରଦ୍ୱାରା ଆହତ = ଶରାହତ, ବିଦ୍ୟାରେ ହୀନ = ବିଦ୍ୟାହୀନ, ମାଙ୍କଡ଼ ଦ୍ୱାରା ଖିଆ = ମାଙ୍କଡ଼ ଖିଆ
    ସେହିପରି ଅଗ୍ନିଦଗ୍‌ଧ, ଜଳଶୂନ୍ୟ, ମନଗଢ଼ା, ହାତକଟା, ଶୋକାକୁଳ, ତନ୍ତବୁଣା, ଭଗାରିହସା, କାଳିଦାସରଚିତ
    ଆଦି ସମାସ ଗଢ଼ାଯାଇପାରିବ । ଏଠାରେ ତୃତୀୟା ବିଭକ୍ତିର ଚିହ୍ନ ରେ,ଦ୍ୱାରା ଆଦି ସମସ୍ତପଦରେ ଲୁପ୍ତ ହୋଇଛି ।
  • ଚତୁର୍ଥୀ ତତ୍‌ପୁରୁଷ:
    ପୁତ୍ର ନିମିତ୍ତ ଶୋକ = ପୁତ୍ରଶୋକ
    ରଙ୍ଗ ନିମିତ୍ତ ମଞ୍ଚ = ରଙ୍ଗମଞ୍ଚ
    ଦେବଙ୍କୁ ଅର୍ପିତ = ଦେବାର୍ପିତ
    ସେହିପରି; ଧର୍ମପତ୍ନୀ, ଛତାକନା, ପିଇବା ପାଣି, ମନରୁଚା ଆଦି ସମାସ ଗଢ଼ାଯାଇପାରିବ ।
    ଏଠାରେ ପୂର୍ବପଦରେ ଥିବା ଚତୁର୍ଥୀ ବିଭକ୍ତିର ଚିହ୍ନ ସମସ୍ତପଦରେ ଲୁପ୍ତ ହୋଇଛି ।
  • ପଞ୍ଚମୀ ତତ୍‌ପୁରୁଷ:
    ବୃକ୍ଷରୁ ପତିତ = ବୃକ୍ଷପତିତ, ବିଦେଶରୁ ଆଗତ = ବିଦେଶାଗତ
    ସେହିପରି ଆମେ ଗଢ଼ିପାରିବା - ଗୋଠଖ?ିଆ, ଧର୍ମଛଡ଼ା, ରୋଗମୁକ୍ତ, ଗଛତୋଳା, ଜନ୍ମାନ୍ଧ ଇତ୍ୟାଦି ଏଠାରେ
    ପୂର୍ବପଦରେ ଥିବା ପଞ୍ଚମୀ ବିଭକ୍ତିର ଚିହ୍ନ ରୁ ସମସ୍ତ ପଦରେ ଲୁପ୍ତ ହୋଇଛି ।
  • ଷଷ୍ଠୀ ତତ୍‌ପୁରୁଷ :
    ଏହି ସମାସର ଗଠନ ପ୍ରଣାଳୀରେ ବିବିଧତା ରହିଛି ।
    (କ) ଗାଆଁର ମୁ? = ଗାଆଁମୁ?, ନଦୀର ଜଳ = ନଦୀଜଳ
    ସେହିପରି ଗଢ଼ାଯାଇପାରିବ - ନାରୀଶିକ୍ଷା, ପ୍ରଜାତନ୍ତ୍ର, କର୍ମଫଳ, ମାତୃଭାଷା, ମାନବଧର୍ମ, ଯୁବକସଂଘ ଇତ୍ୟାଦି ।
    (ଖ) ଅର୍ଦ୍ଧ, ମଧ୍ୟ, ପୂର୍ବ, ଅପର ପ୍ରଭୃତି ପଦ ସମସ୍ତ ପଦରେ ପୂର୍ବପଦ ହୋଇଥାଏ ।
    ଚନ୍ଦ୍ରର ଅର୍ଦ୍ଧ = ଅର୍ଦ୍ଧଚନ୍ଦ୍ର
    ନଈର ମଝି = ମଝିନଈ
    ଅହନ୍‌(ର) ମଧ୍ୟ = ମଧ୍ୟାହ୍ନ
    ରାତ୍ରିର ମଧ୍ୟ = ମଧ୍ୟରାତ୍ର
    ଅହନ୍‌(ର) ପୂର୍ବ = ପୂର୍ବାହ୍ଣ,
    ଅହନ୍‌(ର) ଅପର = ଅପରାହ୍ଣ
    ସେହିପରି ଗଢ଼ାଯିବ - ଅଧରାତି, ମଧ୍ୟଦେଶ ଇତ୍ୟାଦି ।
    (ଗ) ଷଷ୍ଠୀ ତତ୍‌ପୁରୁଷ ସମାସରେ ରାଜା ଶବ୍ଦ ସମପ୍ତପଦରେ ରାଜରେ ପରିଣତ ହୁଏ ।
    ହଂସମାନଙ୍କର ରାଜା = ରାଜହଂସ
    ପଥମାନଙ୍କର ରାଜା = ରାଜପଥ
    ରାଜାଙ୍କର ପୁତ୍ର = ରାଜପୁତ୍ର
    ମଗଧର ରାଜା = ମଗଧରାଜ
    ସେହିପରି ହେବ ରାଜନୀତି ।
    (ଘ) ସ୍ତ୍ରୀଲିଙ୍ଗବାଚକ ଶବ୍ଦ ସମସ୍ତପଦରେ ପୁଂଲିଙ୍ଗରେ ରୂପାନ୍ତରିତ ହୁଏ ଯଥା :-
    ହଂସୀର ଡିମ୍ବ = ହଂସଡିମ୍ବ, ଛାଗୀର ଦୁଗ୍ଧ = ଛାଗଦୁଗ୍ଧ
    ପୂର୍ବପଦରେ ଥିବା ଷଷ୍ଠୀ ବିଭକ୍ତିର ଚିହ୍ନ ର ସମସ୍ତପଦରେ ଲୁପ୍ତ ହୋଇଛି ।
    ସପ୍ତମୀ ତତ୍‌ପୁରୁଷ :-
    ସାହିତ୍ୟରେ ନିପୁଣ = ସାହିତ୍ୟନିପୁଣ, ଗଣିତରେ ପଟୁ=ଗଣିତପଟୁ,ବିଦ୍ୟାରେ ନିପୁଣ=ବିଦ୍ୟା ନିପୁଣ, ଗଛରେ
    ପାଚିଲା = ଗଛପାଚିଲା, ଅରଣ୍ୟରେ ରୋଦନ = ଅରଣ୍ୟ ରୋଦନ ।
    ଏଠାରେ ପୂର୍ବ ପଦରେ ଥିବା ସପ୍ତମୀ ବିଭକ୍ତିର ଚିହ୍ନ ରେ ସମସ୍ତପଦରେ ଲୋପ ପାଇଛି ।
    ସେହି ନିୟମରେ ଗଢ଼ା ଯାଇପାରିବ - ହା?ିରନ୍ଧା, ସନ୍ତରଣପଟୁ, ନରାଧମ, ଦୁଃଖମଗ୍ନ, ବଣଭୋଜି ଇତ୍ୟାଦି ।
  • ନଞ୍ ତତ୍‌ପୁରୁଷ : ତତ୍‌ପୁରୁଷ ସମାସରେ ନିଷେଧ ଅର୍ଥରେ ନଞ୍ ତତ୍‌ପୁରୁଷ ସମାସ ହୁଏ । ସଂସ୍କୃତ ନଞ୍‌ର  ଓଡ଼ିଆ ରୂପ ହେଉଛି ନ । ଏହା ଏକ ନାସ୍ତିସୂଚକ ଅବ୍ୟୟ । ସାଧାରଣତଃ ନ ପରେ ସ୍ୱରବ?ର୍ଥିଲେ ନ - ସ୍ଥାନରେ ଅନ ହୁଏ ଏବଂ ନ ପରେ ବ୍ୟଞ୍ଜନ ବ?ର୍ ଥିଲେ ନ ସ୍ଥାନରେ ଅ ହୁଏ ।
    ନ ଆବିଳ = ଅନାବିଳ,
    ନ ଉଚିତ = ଅନୁଚିତ
    ସେହିପରି ହେବ - ଅନଶନ, ଅନଭିଜ୍ଞ, ଅନାଗତ, ଅନିଷ୍ଟ, ଅନୁନ୍ନତ । ଏଠାରେ ନ- ଅନରେ ପରିଣତ
    ହେଲା । ଅନ୍ୟପକ୍ଷରେ ନ ଚଳ= ଅଚଳ, ନ କଟା = ଅକଟା । ଏଠାରେ ନ ଅ ରେ ପରିଣତ ହେଲା ।
    ସେହିପରି ଗଢ଼ାଯାଇପାରିବ - ଅବାଟ, ଅଧୁଆ, ଅଦୂର, ଅପାଳକ, ଅପାଠୁଆ, ଅଲଗା, ଅମାନିଆ ଇତ୍ୟାଦି ।
    ଆମ ଭାଷାରେ ଅଣର ବ୍ୟବହାର ଅଛି । ନ ପରେ ସ୍ୱର ବା ବ୍ୟଞ୍ଜନ ଯାହା ଥାଉନା କାହିଁକି - ଅଣର
    ଆଗମ ହୁଏ ।
    ଯଥା :- ନ ଓସାରିଆ = ଅଣଓସାରିଆ
    ନ ହଳଦିଆ = ଅଣହଳଦିଆ
  • ଉପପଦ ତତ୍‌ପୁରୁଷ :
    କେତେକ ପଦ ଗଢ଼ିବା ପାଇଁ ଧାତୁ ପୂର୍ବରେ ଅନ୍ୟ ଗୋଟିଏ ପଦ ଯୋଗ କରାଯାଏ । ତାହାକୁ ଉପପଦ କୁହାଯାଏ ।
    ମଧୁପାନ କରେ ଯେ ସେ = ମଧୁପ, ମଧୁପାୟୀ
    କୁଳ ବୁଡ଼ାଏ ଯେ = କୁଳବୁଡ଼ା
    ଏଠାରେ ମଧୁ ଓ କୁଳ ଶବ୍ଦ, ଧାତୁ ପୂର୍ବରେ ବ୍ୟବହୃତ ହୋଇଛନ୍ତି । ଏଗୁଡ଼ିକ ହେଉଛନ୍ତି ଉପପଦ । ଏଥିରୁ
    ଜଣାଗଲା ଯେ -
    ଉପପଦ ସହିତ ଧାତୁ ଅଥବା କ୍ରିୟା ନିଷ୍ପନ୍ନ ଅନ୍ୟ ପଦର ଯେଉଁ ସମାସ ହୁଏ
    ତାକୁ ଉପପଦ ତତ୍‌ପୁରୁଷ ସମାସ କହନ୍ତି ।
    ସେପରି ଗଢ଼ାଯାଇପାରିବ ଶଯ୍ୟାଶାୟୀ, କୁମ୍ଭକାର, ମଣିଷଖିଆ, ସତ୍ୟବାଦୀ, କାନକୁହା ଇତ୍ୟାଦି ।
  • ଅଲୁକ୍ ସମାସ :
    ଯୁଧି(ଯୁଦ୍ଧରେ) ସ୍ଥିର = ଯୁଧିଷ୍ଠିର । ଆଗରୁ ଦେଖିଲେ ସମାସର ସମସ୍ତ ପଦରେ ପୂର୍ବପଦର
    ବିଭକ୍ତି ଚିହ୍ନ ଲୁକ୍‌ ବା ଲୁପ୍ତ ହୋଇ ଯାଇଛି, କିନ୍ତୁ ଏଠାରେ ଯୁଧି ସପ୍ତମୀ ବିଭକ୍ତି ହୋଇଥିଲେ ମଧ୍ୟ ସମସ୍ତପଦରେ
    ତାର ରୂପ ଲୁକ୍ ବା ଲୁପ୍ତ ହେଉନାହିଁ । ତେଣୁ ତାହା ଅଲୁପ୍ତ ବା ଅଲୁକ୍ ହୋଇ ରହୁଛି । ଏଥିରୁ ଜାଣିଲେ ଯେ -
    ଯେଉଁ ସମାସର ସମସ୍ତପଦରେ ବିଭକ୍ତି ଚିହ୍ନ ଲୁପ୍ତ ହୁଏ ନାହିଁ ତାହାକୁ ଅଲୁକ୍ ସମାସ କହନ୍ତି ।
    ଏପରି ଗଢ଼ାଯାଇ ପାରିବ - ବନେ (ବନରେ) ଚରେ (ବିଚରଣ କରେ) ଯେ = ବନେଚର,
    ଅନ୍ତେ (ଅନ୍ତରେ) ବାସକରେ ଯେ = ଅନ୍ତେବାସୀ ଇତ୍ୟାଦି ।
  • କର୍ମଧାରୟ ସମାସ :
    କର୍ମଧାରୟ ସମାସର ଗଠନ ପ୍ରଣାଳୀରେ ବିବିଧତା ରହିଛି । ବିଗ୍ରହବାକ୍ୟ ଓ ସମାସ ପଦର ଗଠନ କୌଶଳ ଲକ୍ଷ୍ୟ କର ।
    (କ) ନୀଳ ଅଟେ କଇଁ = ନୀଳକଇଁ
    ଏଠାରେ ନୀଳ ବିଶେଷଣ ପଦ ଓ କଇଁ ବିଶେଷ୍ୟପଦ ।
    ସେହିପରି ଡେଙ୍ଗାଗଛ, ପୋଡ଼ାତିଅଣ, କଅଁଳଶାଗ, ଫଟାହା?ି, ସଫାଲୁଗା, ସଜ୍ଜନ, ଉଡ଼ାଜାହାଜ, ଲୁଣିମାଛ ଇତ୍ୟାଦି ।
    (ଖ) ଯେ ରୁଦ୍ର ସେ ସୁନ୍ଦର = ରୁଦ୍ରସୁନ୍ଦର
    ଯେ ମୂର୍ଖ ସେ ପଣ୍ଡିତ = ମୂର୍ଖପଣ୍ଡିତ
    ଯେ ଚାଲାକ ସେ ଚତୁର = ଚାଲାକ ଚତୁର
    ଏଠାରେ ରୁଦ୍ର, ସୁନ୍ଦର, ମୂର୍ଖ, ପଣ୍ଡିତ, ଚାଲାକ, ଚତୁର ଆଦି ସମସ୍ତ ଶବ୍ଦ ବିଶେଷଣ ପଦ ।
    (ଗ) ଯେ ରାଜା ସେ ଋଷି = ରାଜର୍ଷି । ଏଠାରେ ରାଜା ବିଶେଷ୍ୟ ପଦ ଓ ଋଷି ମଧ୍ୟ ବିଶେଷ୍ୟପଦ । ସେହିପରି
    ଶବ୍ଦ ହେଉଛନ୍ତି - ଦେବର୍ଷି, ବ୍ରହ୍ମର୍ଷି ଇତ୍ୟାଦି ।
    (ଘ) ଶ୍ରେଷ୍ଠ ଅଟେ ନର = ନରଶ୍ରେଷ୍ଠ
    ଏଠାରେ ନର ବିଶେଷ୍ୟ ଓ ଶ୍ରେଷ୍ଠ ବିଶେଷଣ ପଦ । ଏଥିରୁ ଆମେ ଜାଣିଲେ ଯେ -
    ବିଶେଷଣ ଓ ବିଶେଷ୍ୟ ପଦକୁ ନେଇ ଯେଉଁ ସମାସ ଗଠିତ ହୁଏ, ତାହାକୁ କର୍ମଧାରୟ ସମାସ
    କହନ୍ତି । ଏହି ସମାସର ସମସ୍ତପଦରେ ପରପଦର ଅର୍ଥର ପ୍ରାଧାନ୍ୟ ରହେ ।
    କର୍ମଧାରୟ ସମାସର ବିଭିନ୍ନ ରୂପ ଅଛି । ଆସ, ସେଗୁଡ଼ିକୁ ଦେଖିବା ।
  • ରୂପକ କର୍ମଧାରୟ :
    ଉପମାନ ଓ ଉପମେୟ ମଧ୍ୟରେ ଅଭେଦ କଳ୍ପିତ ହୋଇ ସମାସ ହେଲେ ରୂପକ କର୍ମଧାରୟ ସମାସ ହୁଏ ।
    ଉପମେୟ - ଯାହା ବିଷୟରେ ଉପମା ଅର୍ଥାତ୍ ତୁଳନା ଦିଆଯାଏ ତାକୁ ଉପମେୟ କହନ୍ତି । ଏହି ଉପମେୟ
    ହେଉଛି ପ୍ରକୃତ ବସ୍ତୁ ।
    ଉପମାନ - ଉପମେୟ ବା ପ୍ରକୃତ ବସ୍ତୁ ସହିତ ଯାହାର ତୁଳନା କରାଯାଏ ତାକୁ ଉପମାନ କହନ୍ତି ।
    ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ବିଦ୍ୟାରତ୍ନରେ ଭୂଷିତ ହୋଇଥିଲେ । ଏଠାରେ ବିଦ୍ୟା ହେଉଛି ଉପମେୟ ଓ
    ରତ୍ନ ହେଉଛି ଉପମାନ । ଏଠାରେ ବିଦ୍ୟା ସହିତ ରତ୍ନର ତୁଳନା କରାଯାଇଛି । ଆମେ ଏପରି ମଧ୍ୟ କହିପାରିବା -
    ବିଦ୍ୟା ରୂପକ ରତ୍ନ = ବିଦ୍ୟାରତ୍ନ । ଏଠାରେ ଉପମେୟ ଓ ଉପମାନ ମଧ୍ୟରେ ଭେଦଥିଲା ପରି ଜଣାପଡୁ ନାହିଁ ।
    ଏହି ସୂତ୍ରରେ ଆମେ ଗଢ଼ିପାରିବା - ଶୋକସାଗର, କନ୍ୟାରତ୍ନ, ପୁତ୍ରମଣି, ଶୋକାଗ୍ନି, ଅଜ୍ଞାନ-ଅନ୍ଧକାର ଇତ୍ୟାଦି ।
    ସାଧାରଣ ଧର୍ମ : ଉପମେୟ ଓ ଉପମାନ ମଧ୍ୟରେ ଥିବା ସମାନଗୁଣ ଧର୍ମକୁ ସାଧାରଣ ଧର୍ମ କୁହାଯାଏ ।
    ମୁଖଟି ଚନ୍ଦ୍ର ପରି ସୁନ୍ଦର ଏଠାରେ ସୁନ୍ଦର ହେଉଛି ସାଧାରଣଧର୍ମ ବାଚକ ପଦ । ଅର୍ଥାତ୍ ଚନ୍ଦ୍ର ଯେପରି ସୁନ୍ଦର ମୁଖଟି
    ସେହିପରି ସୁନ୍ଦର ।
  • ଉପମାନ କର୍ମଧାରୟ :
    କାକ ପରି କୃଷ୍ଣ = କାକକୃଷ୍ଣ
    ଘନ ପରି ଶ୍ୟାମ = ଘନଶ୍ୟାମ
    କାକ ଓ ଘନ ହେଉଛନ୍ତି ଉପମାନ ଓ କୃଷ୍ଣ ଓ ଶ୍ୟାମ ହେଉଛନ୍ତି ସାଧାରଣ ଧର୍ମ । ଏଠାରେ ଆମେ
    ଦେଖିଲେ କେବଳ ଉପମାନ ଓ ସାଧାରଣ ଧର୍ମ ରହିଛି ।
    ଏଥିରୁ ଜଣାଗଲା ଯେ, ଉପମାନ ସହିତ ସାଧାରଣ ଧର୍ମବାଚକ ପଦର ସମାସକୁ ଉପମାନ କର୍ମଧାରୟ ସମାସ କୁହାଯାଏ ଆମେ ଏହି ଧାରାରେ ଗଢ଼ିପାରିବା - ତୁଷାରଧବଳ, ଲବଣୀକୋମଳ ଇତ୍ୟାଦି ।
    ଉପମିତ କର୍ମଧାରୟ :
    ମୁଖଟି ଚନ୍ଦ୍ର ପରି = ମୁଖଚନ୍ଦ୍ର
    ଏଠାରେ ମୁଖ ହେଉଛି ଉପମେୟ ଓ ଚନ୍ଦ୍ର ହେଉଛି ଉପମାନ । ଏଥିରୁ ଜଣାଗଲା ଯେ - ସମାସରେ ଉପମେୟ ପୂର୍ବପଦ ଓ ଉପମାନ ପରପଦ ହେଲେ ତାହାକୁ ଉପମିତକର୍ମଧାରୟ ସମାସ କହନ୍ତି ।
    ଏହିସୂତ୍ରରେ ଗଢ଼ାଯାଇପାରିବ - ଅଧରବିମ୍ବ, ପାଦପଦ୍ମ, ଚରଣକମଳ, ନରସିଂହ, ନରେନ୍ଦ୍ର ଇତ୍ୟାଦି ।
  • ମଧ୍ୟପଦଲୋପୀ କର୍ମଧାରୟ :
    ରାଜାଙ୍କ ସିଂହଦ୍ୱାରରେ ଦ୍ୱାରପାଳ ପହରା ଦେଉଛି ।
    ସିଂହଦ୍ୱାରକୁ ଆମେ ଲେଖିପାରିବା ସିଂହ ଚିହ୍ନିତ ଦ୍ୱାର । ସମାସ ଗଠିତ ହେଲେ ଚିହ୍ନିତ ପଦଟି ଲୋପ ହୋଇଯାଉଛି ।
    ଏଥିରୁ ଆମେ ଜାଣିଲେ ଯେ,
    ଯେଉଁ କର୍ମଧାରୟ ସମାସର ସମସ୍ତ ପଦରେ ମଧ୍ୟବର୍ତ୍ତୀ ପଦର ଲୋପ ହୋଇଥାଏ,
    ତାହାକୁ ମଧ୍ୟପଦଲୋପୀ କର୍ମଧାରୟ ସମାସ କହନ୍ତି ।
    ଏହି ଧାରାରେ ଗଢ଼ାଯାଇ ପାରିବ,
    ଘୃତ ମିଶ୍ରିତ ଅନ୍ନ = ଘୃତାନ୍ନ
    ସୁନାରେ ତିଆରି ମୁଦି = ସୁନାମୁଦି
    କାଠରେ ତିଆରି ପୋଲ = କାଠପୋଲ
    ବର ନାମକ ଗଛ=ବରଗଛ
    ସେହିପରି ହେବ, ଦହିଚୁଡ଼ା, ରେଳଗାଡ଼ି, ଚନ୍ଦ୍ରମୁଖ, ବକଧାର୍ମିକ ଇତ୍ୟାଦି ।
    କର୍ମଧାରୟ ସମାସର ଆଉ କେତେକ ଉଦାହରଣ :-
    ଅନ୍ୟଗ୍ରାମ = ଗ୍ରାମାନ୍ତର
    ଅନ୍ୟରୂପ = ରୂପାନ୍ତର
    ଅନ୍ୟଦେଶ = ଦେଶାନ୍ତର
    କୁ(କୁ?ିତ) ଅଟେ ଆକାର = କଦାକାର
    କୁ(କୁ?ିତ) ଅଟେ ପୁରୁଷ = କୁପୁରୁଷ, କାପୁରୁଷ
  • ଦ୍ୱନ୍ଦ୍ୱ ସମାସ :
    ପ୍ରତ୍ୟେକ ପଦର ଅର୍ଥର ପ୍ରାଧାନ୍ୟ ଥାଇ ଏକାଧିକ ବିଶେଷ୍ୟ ପଦର ମିଳନରେ ଯେଉଁ ସମାସ ଗଠିତ ହୁଏ ତାହାକୁ ଦ୍ୱନ୍ଦ୍ୱ ସମାସ କୁହାଯାଏ ।
    ଗଛଟି ଫୁଲଫଳରେ ଭରା ହୋଇଛି ।
    ଫୁଲଫଳ ଶବ୍ଦ ଦୁଇଟି ଭିନ୍ନ ଭିନ୍ନ ଶବ୍ଦ ଯଥା - ଫୁଲ ଓ ଫଳ । ଏ ଦୁଇଟିଯାକ ବିଶେଷ୍ୟ ପଦ । ସମସ୍ତପଦରେ ଦୁଇଟିର ଅର୍ଥର ସମାନ ପ୍ରାଧାନ୍ୟ ରହୁଛି । ସେହିପରି ଦୁଇରୁ ଅଧିକ ଶବ୍ଦ ବି ମିଶିପାରନ୍ତି ।
    ଯଥା; ରାମ ଲକ୍ଷ୍ମଣ ଓ ସୀତା = ରାମଲକ୍ଷ୍ମଣସୀତା । ଧର୍ମ, ଅର୍ଥ, କାମ ଓ ମୋକ୍ଷ = ଧର୍ମାର୍ଥକାମମୋକ୍ଷ ।
    ଏହି ଧାରାରେ ଗଢ଼ାଯାଇପାରିବ, ଦମ୍ପତି, ବାଟଘାଟ, ହରିହର, ଲେଖାପଢ଼ା ଇତ୍ୟାଦି ।
  • ଦ୍ୱିଗୁ ସମାସ :
    ଯେଉଁ ସମାସରେ ସଂଖ୍ୟାବାଚକ ଶବ୍ଦ ପୂର୍ବରେ ଥାଇ ସମସ୍ତପଦଟି ସମାହାର ବା ସମଷ୍ଟିକୁ ବୁଝାଉଥାଏ ତାହାକୁ ଦ୍ୱିଗୁ ସମାସ କହନ୍ତି ।
    ତ୍ରିଫଳା ପାଣି ସ୍ୱାସ୍ଥ୍ୟ ପାଇଁ ହିତକର । ତ୍ରିଫଳା ଶବ୍ଦଟି ତିନିଫଳର ସମାହାରରୁ ସୃଷ୍ଟି ହୋଇଛି । ତ୍ରିଫଳାର  ବ୍ୟାସବାକ୍ୟ ହେଉଛି ତ୍ରି(ତିନି) ଫଳର ସମାହାର । ଶବ୍ଦଟିର ଆଦ୍ୟରେ ସଂଖ୍ୟାବାଚକ ଶବ୍ଦ ତ୍ରି(ତିନି) ରହିଅଛି ।
    ସେହିପରି ଚାରିବେଦ = ଚାରିବେଦର ସମାହାର । ଏହାର ଆଦ୍ୟଶବ୍ଦ ଚାରି ମଧ୍ୟ ହେଉଛି ସଂଖ୍ୟାବାଚକ ଶବ୍ଦ ।
    ଏହି ସୂତ୍ରରେ ଗଢ଼ାଯାଇ ପାରିବ - ଷଡ଼ରିପୁ, ପଞ୍ଚେନ୍ଦ୍ରିୟ, ଅଷ୍ଟରତ୍ନ, ପଞ୍ଚଗବ୍ୟ, ସପ୍ତାହ, ପଞ୍ଚବଟୀ, ଚଉପଦୀ ପ୍ରଭୃତି ।
  • ବହୁବ୍ରୀହି ସମାସ :
    ଯେଉଁ ସମାସରେ ସମସ୍ତପଦ ସମସ୍ୟମାନ ପଦମାନଙ୍କ ମଧ୍ୟରୁ କାହାରି ଅର୍ଥକୁ ନବୁଝାଇ ଅନ୍ୟକୁ ବୁଝାଏ ତାହାକୁ ବହୁବ୍ରୀହି ସମାସ କହନ୍ତି ।
    (କ) ଦଶହରାଦିନ ଦାଶରଥି ଦଶାନନକୁ ବଧ କରିଥିଲେ ।
    (ଖ) ବାଳକ ଓ ବାଳିକାମାନେ ବୀଣାପାଣିଙ୍କୁ ପୂଜା କରୁଛନ୍ତି ।
    ଉପର ବାକ୍ୟ ଦୁଇଟିରେ ଦଶାନନ ଓ ବୀଣାପାଣି ହେଉଛନ୍ତି ବଡ଼ ଅକ୍ଷର ଚିହ୍ନିତ ପଦ । ଏହି ପଦଗୁଡ଼ିକୁ
    ଆମେ ବ୍ୟାସବାକ୍ୟ ସାହାଯ୍ୟରେ ନିମ୍ନମତେ ଲେଖି ପାରିବା । -
    ଦଶ ଆନନ (ମୁଖ) ଯାହାର = ଦଶାନନ
    ସେହିପରି ବୀଣା ପାଣି (ହାତ) ରେ ଯାହାର = ବୀଣାପାଣି
    ଏଠାରେ ଦଶ, ଆନନ, ବୀଣା, ପାଣି ଆଦି ହେଉଛନ୍ତି ଗୋଟିଏ ଗୋଟିଏ ସମସ୍ୟମାନପଦ । ସମସ୍ତ ପଦ
    ହେଲାବେଳେ ଏ ସମସ୍ୟମାନ ପଦମାନଙ୍କର ଗୁରୁତ୍ୱ ନରହି ସ୍ୱତନ୍ତ୍ର ଅର୍ଥ ପ୍ରକଟିତ ହେଉଛି । ଅର୍ଥାତ୍ ଯାହାର ଦଶଟି
    ଆନନ, ସେ ଦଶାନନ ନ ହୋଇ କେବଳ ରାବଣ ଅର୍ଥ ପ୍ରକାଶିତ ହୋଇଛି । ସେହିପରି ବୀଣାପାଣି, ସରସ୍ୱତୀ
    ଅର୍ଥରେ ବ୍ୟବହୃତ ହୋଇଛି । ଏହିପରି କୁହାଯାଇପାରେ; ତ୍ରିଲୋଚନ, ପୀତାମ୍ବର, ଦିଗମ୍ବର, ନୀଳକଣ୍ଠ, ପଞ୍ଚାନନ,
    ଚତୁର୍ଭୁଜ ଇତ୍ୟାଦି । 
    ମନେରଖିବାକୁ ହେବ ଯେ ଏ ସମାସର ବିଗ୍ରହ ବାକ୍ୟରେ ଯାହାର, ଯାହାକୁ, ଯ?୍ୱାରା, ଯାହାଠାରୁ, ଯାହାଠାରେ
    ଆଦି ପଦ ବ୍ୟବହୃତ ହୋଇଥାଏ । ଆସ, ଏହି ସମାସର ବିବିଧ ରୂପକୁ ଦେଖିବା ।
    (କ) ବହୁବ୍ରୀହି ସମାସରେ ଅକ୍ଷି ଶବ୍ଦ ସମସ୍ତପଦରେ ଅକ୍ଷରେ ଓ ନାଭି ଶବ୍ଦ ନାଭରେ ପରିଣତ ହୁଏ ।
    ବିରୂପ ଅକ୍ଷି ଯାହାର = ବିରୂପାକ୍ଷ
    ପୁ?ରୀକ ଅକ୍ଷି ଯାହାର = ପୁ?ରୀକାକ୍ଷ
    ସେହିପରି ଲେଖାଯାଇପାରେ - ବିଶାଳାକ୍ଷ, ସହସ୍ରାକ୍ଷ ଇତ୍ୟାଦି ।
    ପୁଣି ପଦ୍ମ ନାଭିରେ ଯାହାର = ପଦ୍ମନାଭ
    (ଖ) ଯଶସ୍‌, ତେଜସ୍‌, ମନସ୍ ପ୍ରଭୃତି ଶବ୍ଦର ଶେଷରେ ସ୍‌ ରହିଛି । ଏହିଭଳି ଶେଷରେ ସ୍‌ ଥିବା ଶବ୍ଦକୁ ନେଇ
    ବହୁବ୍ରୀହି ସମାସ ହେଲେ ସ୍‌ର ଲୋପ ହୁଏ ଓ ଅନ୍ତ୍ୟ ଅ ଆକାର ହୁଏ । ବେଳେବେଳେ ସ୍‌ ଅତୁଟ ରହେ
    ଓ କର ଆଗମ ହୁଏ ।
    ମହାନ୍ ତେଜ ଯାହାର = ମହାତେଜା
    ଉଦାର ଚେତ (ଚିତ୍ତ) ଯାହାର = ଉଦାରଚେତା
    ଉଚ୍ଚ ମନ ଯାହାର = ଉଚ୍ଚମନା
    ଅନ୍ୟ ମନ ଯାହାର = ଅନ୍ୟମନା, ଅନ୍ୟମନସ୍କ
    ଅଳ୍ପ ବୟଃ ଯାହାର = ଅଳ୍ପବୟା, ଅଳ୍ପବୟସ୍କ
    (ଗ) କେତେକ କ୍ଷେତ୍ରରେ ନାସ୍ତିବାଚକ ଶବ୍ଦ (ନାହିଁ) ପୂର୍ବପଦ ହୋଇ ବହୁବ୍ରୀହି ସମାସ ହୋଇଥାଏ । ଏହାକୁ
    ନିଷେଧାର୍ଥକ ବହୁବ୍ରୀହି ସମାସ କହନ୍ତି ।
    ନାହିଁ ଅନ୍ତଯାହାର = ଅନନ୍ତ, ନାହିଁ ଆଦି ଯାହାର = ଅନାଦି, ନାହିଁ ଗାଧ (ଅଗଭୀରତ୍ୱ) ଯାହାର = ଅଗାଧ, ନାହିଁ
    ଦୋଷ ଯାହାର = ନିର୍ଦୋଷ, ନାହିଁ କାର (କାର୍ଯ୍ୟ) ଯାହାର = ବେକାର
    ସେହିପରି ଗଢ଼ାଯାଇପାରିବ - ଅତଳ, ଅସୀମ, ନିର୍ଭୟ, ନିରାକାର, ନୀରୋଗ, ବେହୋସ, ବେତାର, ବେହିସାବୀ,
    ନିରର୍ଥକ, ନିର୍ଜନ ଇତ୍ୟାଦି । ବିଗତ ହୋଇଅଛି ଧବ ବା ନାହିଁ ଧବ (ସ୍ୱାମୀ) ଯାହାର ତାକୁ ବିଧବା ଓ ବିଗତ
    ହୋଇଅଛି ପତ୍ନୀ ବା ନାହିଁ ପତ୍ନୀ ଯାହାର ତାକୁ ବିପତ୍ନୀକ କୁହାଯାଏ ।
    (ଘ) ଅନ୍ୟପଦ ସହିତ ସହ ଶବ୍ଦ ଯୋଗରେ ଯେଉଁ ବହୁବ୍ରୀହି ସମାସ ହୁଏ, ତାହାକୁ ସହାର୍ଥକ ବହୁବ୍ରୀହି କୁହାଯାଏ ।
    ଏହି ସହ ଶବ୍ଦ ସମସ୍ତପଦରେ ସରେ ପରିଣତ ହୁଏ ।
    ଉଦାହରଣ; ପରିବାର ସହିତ ଅଛନ୍ତି ଯେ = ସପରିବାର
    ସ୍ତ୍ରୀ ସହିତ ଅଛନ୍ତି ଯେ = ସସ୍ତ୍ରୀକ
    ଶିଷ୍ୟ ସହିତ ଅଛନ୍ତି ଯେ = ସଶିଷ୍ୟ
    ସେହିପରି ଗଢ଼ାଯାଇପାରିବ; ସାନନ୍ଦ, ସସମ୍ମାନ, ସବିନୟ, ସବାନ୍ଧବ, ସକୁଟୁମ୍ବ ଇତ୍ୟାଦି ।
    (ଙ) ସମାନ ଶବ୍ଦ ସହିତ ବହୁବ୍ରୀହି ସମାସ ହେଲେ ସମାନ ସ୍ଥାନରେ ସ ହୁଏ । କେତେକ ସ୍ଥଳରେ ସହ ମଧ୍ୟ ହୁଏ ।
    ସମାନ ତୀର୍ଥ ଯାହାର = ସତୀର୍ଥ
    ସମାନ ଉଦରରୁ ଜନ୍ମ ଯାହାର = ସହୋଦର, ସୋଦର
    ସେହିପରି ହୁଏ - ସଗୋତ୍ର, ସପି? ଇତ୍ୟାଦି ।
    (ଚ) କେତେକ ବହୁବ୍ରୀହି ସମାସରେ ଉପମାନ ପୂର୍ବପଦ ଓ ଉପମେୟ ପରପଦ ହୋଇଥାନ୍ତି । ସମସ୍ତ ପଦରେ
    ଉପମାନର ଅଂଶବିଶେଷ ଲୋପପାଏ । ଏହାକୁ ଉପମିତ ବହୁବ୍ରୀହି କହନ୍ତି ।
    ଗଜଗମନ ପରି ଗମନ ଯେଉଁ ସ୍ତ୍ରୀର = ଗଜଗମନା
    ଚିଲଆଖି ପରି ଆଖି ଯାହାର = ଚିଲଆଖିଆ
    ଘୋଡ଼ା ମୁହଁ ପରି ମୁହଁ ଯାହାର = ଘୋଡ଼ାମୁହାଁ
    ସେହିପରି ଗଢ଼ାଯାଇ ପାରିବ - ଓଟମୁହାଁ, ମରାଳଗମନା, ସୂର୍ପଣଖା, ମାଗୁରନିଶା, ମୀନନୟନା, ଚାନ୍ଦମୁହୀଁ
    ଇତ୍ୟାଦି ।
    (ଛ) ଏକ ଜାତୀୟ କ୍ରିୟାରେ ପରସ୍ପର ବ୍ୟାପୃତ ଥିବା ବୁଝାଇଲେ ବ୍ୟତିହାର ବହୁବ୍ରୀହି ସମାସ ହୁଏ ।
    କେଶକୁ କେଶକୁ ଧରି ଯେଉଁ ଯୁଦ୍ଧ = କେଶାକେଶି
    ପରସ୍ପରକୁ ମାରିବା କାର୍ଯ୍ୟ ହୁଏ ଯହିଁରେ = ମରାମରି
    ଠେଙ୍ଗାରେ ଠେଙ୍ଗାରେ ଯେଉଁ ଯୁଦ୍ଧ = ଠେଙ୍ଗାଠେଙ୍ଗି
    ସେହିପରି ହେବ; ବାଡ଼ାବାଡ଼ି, ପିଟାପିଟି, ହାତାହାତି, ଧରାଧରି, ପେଲାପେଲି, ଠେଲାଠେଲି ଇତ୍ୟାଦି ।
    (ଜ) ବହୁବ୍ରୀହି ସମାସର ଆଉ କେତେକ ଉଦାହରଣ :
    ସୁହୃଦୟ ଯାହାର = ସୁହୃଦ
    ଅଷ୍ଟ ଅଙ୍ଗ ବକ୍ର ଯାହାର = ଅଷ୍ଟବକ୍ର
    ଏକ ବାଗ ଯାହାର = ଏକବାଗିଆ,
    ଦୁଇ ମୁ? ଯାହାର = ଦୋମୁ?ିଆ
  • ଅବ୍ୟୟୀଭାବ ସମାସ :
    ଯେଉଁ ସମାସରେ ଅବ୍ୟୟପଦ ପୂର୍ବପଦ ଭାବରେ ରହି ଅନ୍ୟପଦ ସହିତ ସମାସ ହୋଇଥାଏ ଓ ତହିଁରେ ଅବ୍ୟୟର ଅର୍ଥ ପ୍ରାଧାନ୍ୟ ଥାଏ ତାକୁ ଅବ୍ୟୟୀଭାବ ସମାସ କୁହାଯାଏ ।
    (୧) ପ୍ରତିହିଂସାପରାୟଣ ବ୍ୟକ୍ତିର ଅଧିକ କ୍ଷତି ହୁଏ ।
    (୨) ହରିବାବୁ ଘଟଣାକୁ ଆମୂଳଚୂଳ ବ?ର୍ନା କଲେ । ପ୍ରଥମବାକ୍ୟର ପ୍ରତିହିଂସାରେ ପ୍ରତି ହେଉଛି
    ଗୋଟିଏ ଅବ୍ୟୟ ପଦ, ସେହିପରି ଦ୍ୱିତୀୟ ବାକ୍ୟର ଆମୂଳଚଳରେ ଆ ହେଉଛି ଅବ୍ୟୟପଦ । ଅବ୍ୟୟପଦ ଦୁଇଟି
    ଶବ୍ଦର ଆରମ୍ଭରେ ରହିଛି । ଅବ୍ୟୟ ପଦ ସହିତ ଅନ୍ୟପଦ ମିଶିଛି ।
    ବୀପ୍‌ସା (ବାରମ୍ବାର), ବ୍ୟାପ୍ତି ଓ ପର୍ଯ୍ୟନ୍ତ (ସୀମା), ଅଭାବ, ଯୋଗ୍ୟତା, ଆତିଶଯ୍ୟ, ବୈପରୀତ୍ୟ, ସାମୀପ୍ୟ,
    ସାଦୃଶ୍ୟ, ପଶ୍ଚାତ ପ୍ରଭୃତି ଅର୍ଥରେ ଅବ୍ୟୟୀଭାବ ସମାସ ହୋଇଥାଏ । ଆସ, ସେ ରୂପଗୁଡ଼ିକୁ ଦେଖିବା ।
    (କ) ବୀପ୍‌ସା - ଥରକୁଥର = ପ୍ରତିଥର ।
    ସେହିପରି ପ୍ରତିଦିନ, ପ୍ରତିଘର ଶବ୍ଦଗଢ଼ା ଯାଇପାରିବ ।
    (ଖ) ଅଭାବ - ଭିକ୍ଷାର ଅଭାବ = ଦୁର୍ଭିକ୍ଷ
    ସେହିପରି ବନ୍ଦୋବସ୍ତର ଅଭାବ ବେବନ୍ଦୋବସ୍ତ
    ଏଠାରେ ଦୁର୍‌ ଓ ବେ ଅବ୍ୟୟ ପଦ ।
    (ଗ) ବ୍ୟାପ୍ତି ଓ ପର୍ଯ୍ୟନ୍ତ - ମରଣପର୍ଯ୍ୟନ୍ତ = ଆମରଣ
    ସେହିପରି ହେବ - ଆସମୁଦ୍ର, ଆକଣ୍ଠ, ଇତ୍ୟାଦି ।
    ଜୀବନକୁ ବ୍ୟାପି = ଆଜୀବନ
    ପାଦଠାରୁ ଆରମ୍ଭକରି ମସ୍ତକ ପର୍ଯ୍ୟନ୍ତ = ଆପାଦମସ୍ତକ
    ଏଠାରେ ଆ ହେଉଛି ଅବ୍ୟୟପଦ ।
    (ଘ) ଯୋଗ୍ୟତା - ରୂପର ଯୋଗ୍ୟ = ଅନୁରୂପ, ଅନୁ-ଅବ୍ୟୟପଦ
    (ଙ) ଅନତିକ୍ରମ-ଶକ୍ତିକୁ ଅତିକ୍ରମ ନ କରି = ଯଥାଶକ୍ତି
    ସେହିପରି ହେବ - ଯଥାବିଧି, ଯଥୋଚିତ, ଯଥାର୍ଥ ଇତ୍ୟାଦି
    ଏଠାରେ ଯଥା ଅବ୍ୟୟପଦ ।
    (ଛ) ପଶ୍ଚାତ୍ - ପଶ୍ଚାତ୍‌ଗମନ = ଅନୁଗମନ । ସେହିପରି ହେବ - ଅନୁକରଣ, ଅନୁତାପ, ଅନୁସନ୍ଧାନ ଇତ୍ୟାଦି ।
    ଏଠାରେ ଅନୁ ଅବ୍ୟୟ ପଦ ।
    (ଜ) ଆତିଶଯ୍ୟ - ଅତିଶୟ ଘଞ୍ଚ - ନିଘଞ୍ଚ । ଏଠାରେ ନି ଅବ୍ୟୟପଦ ।
    (ଝ) ସାଦୃଶ୍ୟ - ମୂର୍ତ୍ତିର ସଦୃଶ = ପ୍ରତିମୂର୍ତ୍ତି ।
    ବନର ସଦୃଶ = ଉପବନ, ଭାଷାର ସଦୃଶ = ଉପଭାଷା
    ଏଠାରେ ଅବ୍ୟୟ ପଦ - ପ୍ରତି ଓ ଉପ ।
    (ଞ) ବୈପରୀତ୍ୟ - କୂଳର ବିପରୀତ = ପ୍ରତିକୂଳ
    ପକ୍ଷର ବିପରୀତ = ପ୍ରତିପକ୍ଷ, ବିପକ୍ଷ
    ସେହିପରି ହୁଏ - ପ୍ରତିବାଦୀ
    ଏଠାରେ ପ୍ରତି ଓ ବି ଅବ୍ୟୟପଦ ।
  • ନିତ୍ୟ ସମାସ :
    କେତେକ ସ୍ଥଳରେ ସମାସବାକ୍ୟ ନଥାଇ ମଧ୍ୟ ସମାସ ହୁଏ । ଏହାକୁ ନିତ୍ୟ ସମାସ କୁହାଯାଏ ।
    କୃଷ୍ଣସର୍ପ - (ଏହା ନି?ିର୍ଷ୍ଟ ଜାତିର ନାଗକୁ ବୁଝାଏ - ଅନ୍ୟ କଳାସାପକୁ ବୁଝାଏ ନାହିଁ ।
    ସେହିପରି - ନୀଳକନ୍ଦର (ଶ୍ରୀକ୍ଷେତ୍ର ପୁରୀ), ପୋକଶୁଙ୍ଘା, ଛାରପୋକ, ବିଲୁଆଖାଇ ଇତ୍ୟାଦି ହୁଏ ।
ବି.ଦ୍ର:

ମଧ୍ୟାହ୍ନରେ ଅହନ୍‌ ର ନ ଅପରିବର୍ତ୍ତିତ ଥିବାବେଳେ ପୂର୍ବାହ୍ଣ ଓ ଅପରାହ୍ଣରେ ଅହନ୍‌ ନ- ଣରେ ପରିଣତ ହୋଇଛି । ଣତ୍ୱ ବିଧି ନିୟମ ଅନୁସାରେ ଋ,ର,ଷ ବ?ର୍ପରେ ତଥା ନ ପୂର୍ବରୁ ସ୍ୱରବ?ର୍, କ-ବର୍ଗ,ପ-ବର୍ଗ, ଯ, ବ, ହ ମଧ୍ୟରୁ ଏକ ବା ଏକାଧିକ ବ?ର୍ର ବ୍ୟବଧାନ ଥିଲେ ନ-ଣରେ ପରିଣତ ହୁଏ । (ଅପର+ଅହନ୍‌) ରେ ର ଓ ନ ମଧ୍ୟରେ ଅ ଓ ହ ବ୍ୟବଧାନ ସୃଷ୍ଟି କରୁଥିବାରୁ ନ-ଣ ହୋଇଛି । ସେହିପରି ପୂର୍ବାହ୍ଣ (ପୂର୍‌ବ+ ଅହନ୍‌)ରେ ର ଓ ନ ମଧ୍ୟରେ ବ ଅ ଓ ହ ରହି ବ?ର୍ ବ୍ୟବଧାନ ସୃଷ୍ଟି କରୁଥିବାରୁ ନ ସ୍ଥାନରେ ଣ ହୋଇଛି । କିନ୍ତୁ ମଧ୍ୟାହ୍ନ (ମଧ୍ୟ+ଅହନ୍‌) ର ମଧ୍ୟ ଶବ୍ଦରେ ଋ, ର, ଷ ନଥିବାରୁ ନ ସ୍ଥାନରେ ଣ ହୋଇନାହିଁ ।

   
    

Important Links

  • Dictionary
  • Grammar
  • Word Book
  • Proverb
  • Translator
  • Online Odia Typing
Odia-English Dictionary

Odia-English Dictinary

 

Powerd by

More Links

  • About Us
  • Contact Us

© 2026. All right reserved.